Odisha News Insight

ରାଜ୍ୟର ୫ ଜିଲ୍ଲାକୁ ବ୍ୟାପିଲା କରୋନା, ଭୁନେଶ୍ବରରେ ୧୪ ଜଣ ଆକ୍ରାନ୍ତ

ଦୁଇ ସପ୍ତାହ ପୁର୍ବେ ଭୁବନେଶ୍ବରରେ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏବେ ରାଜ୍ୟର ୫ଟି ଜିଲ୍ଲାକୁ ଏହି ଭୂତାଣୁ ବ୍ୟାପି ସାରିଲାଣି। ଆଜି ରାଜ୍ୟରେ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ସୁଦ୍ଧା ରାଜ୍ୟରେ ୫ ଜଣ ଆକ୍ରାନ୍ତ ଥିଲେ। ଏମାନଙ୍କ ମଧ୍ୟରୁ ଜଣେ ଭଦ୍ରକରେ ଓ ୪ ଜଣ ଭୁବନେଶ୍ବରରେ ଚିହ୍ନଟ ହୋଇଥିଲେ। ଆଜି ଏହି ସଂଖ୍ୟା ୪ଗୁଣା ହୋଇଛି। ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୦ ଛୁଇଁଛି।

ବର୍ତ୍ତମାନ ସୁଦ୍ଧା ଖୋର୍ଦ୍ଧା, ପୁରୀ, କଟକ, ଯାଜପୁର ଓ ଭଦ୍ରକ ଏହିପରି ୫ଟି ଜିଲ୍ଲାରେ କରୋନା ଭୂତାଣୁର ସନ୍ଧାନ ମିଳିଛି। ଖୋର୍ଦ୍ଧା ଜିଲ୍ଲାରେ ସମସ୍ତ ୧୪ ଜଣ ରୋଗୀ ଭୁବନେଶ୍ବରରୁ ଚିହ୍ନଟ ହୋଇଛନ୍ତି। ପୂର୍ବରୁ ବୁନେଶ୍ବରରେ ଆକ୍ରାନ୍ତଙ୍କ ସଂଖ୍ୟା ୪ ଥିଲା। ଆଜି ବମିଖାଲରେ ୩ ଜଣ ନୂଆ ରୋଗୀ ଚିହ୍ନଟ ହୋଇଥିବା ବେଳେ ସତ୍ୟନଗରରେ କରୋନା ଆକ୍ରାନ୍ତଙ୍କର ୭ ଜଣ ସମ୍ପର୍କୀୟଙ୍କ ରିପୋର୍ଟ ପଜିଟିଭ୍‌ ଆସିଛି।

କଟକରେ ଆଜି ସକାଳେ ଜଣେ ରୋଗୀ ଚିହ୍ନଟ ହୋଇଛନ୍ତି। ସେ ନିଜାମୁଦ୍ଦିନ୍‌ ମର୍କାଜ୍‌ରେ ଭାଗନେଇ ଫେରିଥିବା କହିଛନ୍ତି ରାଜ୍ୟ ସରକାର।

ଭଦ୍ରକରେ ଆଗରୁ ଜଣେ ରୋଗି ଚିହ୍ନଟ ହୋଇଥିବା ବେଳେ ଆଜି ଆଉ ୨ ଜଣଙ୍କ ସନ୍ଧାନ ପରେ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୩ରେ ପହଞ୍ଚିଛି। ଅନୁରୂପ ଭାବେ ଆଜି ଯାଜପୁରରେ ଜଣେ ଓ ପୁରୀରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ରାଜ୍ୟରେ ମୋଟ ୨୦ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ପ୍ରଥମ ଦୁଇଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

Leave a comment